ପ୍ରତିଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ

ଓଡ଼ିଆ ଭାଷା ପ୍ରତିଷ୍ଠାନ ଏକ ସ୍ୱୟଂଶାସିତ ସଂସ୍ଥା ଭାବରେ ନିମ୍ନଲିଖିତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିବ।

 

(କ) ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ର ବ୍ୟବସ୍ଥା ଅନୁଯାୟୀ ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ ଦେବା
(ଖ) ଓଡ଼ିଆ ଭାଷାକୁ ପ୍ରଶାସନ, ଶିକ୍ଷା ଓ ସଞ୍ଚାରର ମାଧ୍ୟମ ରୂପେ ସବୁ ସ୍ତରରେ ବ୍ୟବହାରକୁ ସୁନିଶ୍ଚିତ କରିବା
(ଗ) ଏହି ପ୍ରତିଷ୍ଠାନ ସହ ସଂଶ୍ଳିଷ୍ଟ ବିଭିନ୍ନ ବିଭାଗ/ଅନୁଷ୍ଠାନ ସହିତ ସମନ୍ୱୟ ରକ୍ଷା କରି ଓଡ଼ିଆ ଭାଷା ଓ ଲିପି ସମ୍ପର୍କରେ ଗବେଷଣା ଆଦି କାର୍ଯ୍ୟ ସମ୍ପାଦନ କରିବ ଏବଂ ଯେଉଁ କାର୍ଯ୍ୟ ଓଡ଼ିଶା ସାହିତ୍ୟ ଏକାଡ଼େମୀ/ବିଶ୍ୱ ବିଦ୍ୟାଳୟ କରିଛନ୍ତି କିମ୍ୱା କରି ସାରିଛନ୍ତି, ତାହାକୁ ଛାଡ଼ି ନୂତନ କାର୍ଯ୍ୟକ୍ରମମାନ ଗ୍ରହଣ କରିବା
(ଘ) ଭବିଷ୍ୟତ ପିଢ଼ିପାଇଁ ଓଡ଼ିଆ ଭାଷା ଓ ଲିପିକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଯୁଗୋପଯୋଗୀ ଶବ୍ଦକୁ ନେଇ ଓଡ଼ିଆ ଭାଷାକୁ ସରଳୀକରଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଓ ନୂତନ ବର୍ଣ୍ଣବୋଧର ପ୍ରକାଶ ଭାଷାକୁ ସମୃଦ୍ଧ କରିବା ପାଇଁ ନିର୍ଦ୍ଦିଷ୍ଟ ବ୍ୟାକରଣ, ଅଭିଧାନ ପ୍ରଭୃତି ସରକାରୀ ଛାପାଖାନାରେ ଛପାଯାଇ ସୁଲଭ ମୂଲ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରିବା ସହିତ ଏହିସବୁ ପୁସ୍ତକ ଇଣ୍ଟରନେଟରେ ରାଜ୍ୟ ପୋର୍ଟାଲରେ ପ୍ରକାଶ କରିବା
(ଙ) ଲୋକ ସାହିତ୍ୟ ସମ୍ପର୍କିତ ଦୁର୍ଲଭ ପୁରାତନ ପୁସ୍ତକଗୁଡ଼ିକର ପୁନଃ ପ୍ରକାଶନ ଓ ପ୍ରସାରଣ କରିବା ;
(ଚ) ଗୋଟିଏ ବିଶେଷଜ୍ଞ ଦଳ ଗଠନ କରି ‘ଓଡ଼ିଆ ଭାଗବତ’ ଭଳି ୨୦-୨୫ଟି ଉପାଦେୟ ବହି କାର୍ଯ୍ୟନିର୍ବାହୀ କମିଟି ଯେପରି ସମୟସୀମା ଧାର୍ଯ୍ୟ କରିବେ ଓ ସେହି ସମୟ ମଧ୍ୟରେ ପ୍ରସ୍ତୁତ କରି ତାହା ବିଶ୍ୱବ୍ୟାପୀ ଇଣ୍ଟରନେଟ୍ ମାଧ୍ୟମେର ଯେପରି ଲୋକ ପାଇପାରିବେ, ତାହାର ବ୍ୟବସ୍ଥା କରିବା ଓ ସମୟକ୍ରମେ ସେହି ପୁସ୍ତକ ଛାପି ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା;
(ଛ) କମ୍ପ୍ୟୁଟରରେ ଓଡ଼ିଆ ଭାଷାର ବ୍ୟବହାର ଉପଯୋଗ ଓ ପ୍ରସାର କରିବା ଏବଂ ତତ୍ ସଂପୃକ୍ତ  କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ "ଓଡ଼ିଆ ଭାଷା ପ୍ରତିଷ୍ଠାନ", ଓକାକ୍ (OCAC) ସଂଗରେ ସମନ୍ୱୟ ରକ୍ଷା କରି, କାର୍ଯ୍ୟ କରିବା;
(ଜ)  ଓଡ଼ିଆ ଭାଷାର ଅତୀତ ଓ ବର୍ତ୍ତମାନ ଉପରେ ଗବେଷଣା କରି ଭବିଷ୍ୟତରେ ଏହାକୁ ଏକ ସମୃଦ୍ଧ ଭାଷା ଭାବେ ବିଶ୍ୱବିଖ୍ୟାତ କରିବା ପାଇଁ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବା;
(ଝ) ଆବଶ୍ୟକତା ଅନୁଯାୟୀ ଓଡ଼ିଆ ଭାଷାରେ ବିବିଧ ପ୍ରକାରର ଅଭିଧାନ, ବ୍ୟାକରଣ ଓ ଭାଷାତତ୍ତ୍ୱ ମୂଳକ ପୁସ୍ତକର ପ୍ରକାଶନ କରିବା;
(ଞ) ଓଡ଼ିଆ ଭାଷା ଓ ଲିପି ଇତିହାସ ଓ ବ୍ୟାକରଣ ପ୍ରଣୟନ ଓ ପ୍ରକାଶନ କରିବା;
(ଟ) ଓଡ଼ିଆ ଭାଷା ସଂପର୍କରେ ଗବେଷଣା ମୂଳକ ପତ୍ରିକା ପ୍ରକାଶନ କରିବା;
(ଠ) ଦେଶ ଓ ପ୍ରଦେଶ ବାହାରେ ଓଡ଼ିଆ ଭାଷା-ଭାଷୀ ରହୁଥିବା ଅଞ୍ଚଳର ଲୋକମାନଙ୍କୁ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସୁବିଧା ପ୍ରଦାନ କରିବା;
(ଡ଼) ଓଡ଼ିଆ ଭାଷା, ଶିକ୍ଷା, ପ୍ରଶାସନ ଓ ସଂଚାର ନିମନ୍ତେ ପାଠ୍ୟ ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ଏକ ଉପଦେଷ୍ଟା ସମିତି ଭାବେ କାର୍ଯ୍ୟ କରିବା;
(ଢ) ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ପାଇଁ କର୍ମଶାଳା, ସଂପାନ, ସମ୍ମିଳନୀ, ନୂତନ ଜ୍ଞାନ ଆହରଣ ସକାଶେ ପାଠ୍ୟକ୍ରମ ଓ ଅଭିମୁଖୀକରଣ ପାଠ୍ୟକ୍ରମ ସଂପର୍କରେ କାର୍ଯ୍ୟକ୍ରମର ଆୟୋଜନ କରିବା;
(ଣ) ଓଡ଼ିଆ ଭାଷା ଓ ଲିପିର ସଂଚାର ଏବଂ ବିକାଶ ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ବିଶ୍ୱବିଦ୍ୟାଳୟ ଓ ପଞ୍ଜିକୃତ ଅନୁଷ୍ଠାନମାନଙ୍କର ସହଯୋଗ ଲୋଡ଼ିବା; ଏବଂ
(ତ) କୃତି ଭାଷାବିତ୍ ଓ ବିଦ୍ୱାନମାନଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରିବା;